Unknown

 

 

 

 

 

 

 

 

 

ଶୋକ-ଶ୍ଳୋକ

ଭକ୍ତକବି ମଧୁସୂଦନ ରାଓ

 

ପ୍ରଥମ ଉଚ୍ଛ୍ୱାସ

 

(ରସକୁଲ୍ୟା ବୃତ୍ତ)

ଭଞ୍ଜଭୂମିପତି ଶ୍ରୀରାମଚନ୍ଦ୍ର

କୋଟି ହୃଦାକାଶ-ପୂର୍ଣ୍ଣିମାଚନ୍ଦ୍ର;

କୋଟି ହୃଦୟର ଆଶା-ଆସ୍ପଦ,

ଜୀବଜଗତର ଯଥା ଜଳଦ,

କାହିଁ ଗଲେ ମହାବାହୁ ?

ଅକାଳେ ଅକାଣ୍ଡେ ଦୈବଦୁର୍ବିପାକ

ବିଧୁକୁ ଗ୍ରାସିଲା ରାହୁ ।୧।

ପୌର୍ଣ୍ଣମାସୀ ଆହା ଅମାନିଶାରେ

ପରିଣତ କାଳ-ଛାୟା-ପ୍ରସାରେ;

ଘୋଟିଯାଇଅଛି ଘୋର ଅନ୍ଧାର,

କାହିଁ ଗଲା ଜ୍ୟୋସ୍ନା-ମୟ ସଂସାର ?

ଏ କି ଘୋର ବିଡ଼ମ୍ବନା !

କି ଦାରୁଣ ଦାଉ ସାଧିଲୁ ରେ କାଳ

କି ଦୁରନ୍ତ ତୋ କଳ୍ପନା ।୨।

କାହିଁକି ରେ କାଳ ହେଲୁ ତୁ ବାମ ?

ହରିଲୁ ସେ ଦେବ-ମୂର୍ତ୍ତିଲଲାମ,

ରାଜଶ୍ରୀମଣ୍ଡିତ ସୌମ୍ୟ ବଦନ,

ସେ ଲଲାଟ ଜ୍ଞାନ-ଜ୍ୟୋତିସଦନ;

ରଞ୍ଜିତ କି ଦିବ୍ୟାଞ୍ଜନେ

ସେ ଯୁଗଳ ନେତ୍ର ଶ୍ରଦ୍ଧାର ଶ୍ରୀକ୍ଷେତ୍ର

ଶ୍ରେୟର ନୈମିଷ-ବନେ ।୩ ।

କେମନ୍ତେ ହରିଲୁ ସେହି ପ୍ରତିଭା

ପ୍ରସନ୍ନ ନିର୍ମଳ ସ୍ୱର୍ଗଙ୍ଗା-ନିଭା

ବିଜ୍ଞାନ-ଦର୍ଶନ-କଳା-ସକଳେ

ନବଯୁଗୋଚିତ କର୍ମକୌଶଳେ

ଅବାରିତ ଯା’ର ଗତି,

ଉଇଁ ଆସିଥିଲା ଉତ୍କଳ-ଉଦୟ

ଗିରିଶିରେ ଯାର ଜ୍ୟୋତି ।୪।

କାହିଁ ଗଲା ସେହି ଦେବଚରିତ୍ର,

ବ୍ରହ୍ମପାଦ-ପଦ-ଲାଭେ ପବିତ୍ର,

ବିନୟ-ସୌଜନ୍ୟ-ଶ୍ରଦ୍ଧା-ମଣ୍ଡିତ,

ଭକ୍ତି-ପ୍ରୀତି-କ୍ଷମା-ଗୁଣେ ଖଚିତ,

ସଂଯମର ଆଦରଶ,

ତୁଷାର ଶିଖରୀ ପରାଏ ଉଦାର

ମୂର୍ତ୍ତିମନ୍ତ ଶାନ୍ତରସ ।୫।

କେଣେ ଘେନିଗଲୁ ନବଯୁଗର

ନୃପତି ସତ୍ତମ ପ୍ରଜାକୋୟର ?

ରାଜ୍ୟର କଲ୍ୟାଣେ ନିତ୍ୟ ନିରତ,

ପ୍ରଜାହିତ ଯାର ନିୟତ ବ୍ରତ,

ରାଜ-ୠଷି ରାଜ୍ୟାଶ୍ରମେ;

ରାମରାଜ୍ୟ ବୋଲି ପ୍ରଶସ୍ତି ଲଭିଲା

ଯାର ରାଜ୍ୟ ସୁନିୟମେ ।୬।

କାହିଁକି ବା କାଳ ନିନ୍ଦଇ ତୋତେ

ଭାସିଯାଇ ଶୋକ-ନୈରାଶ୍ୟ-ସ୍ରୋତେ;

ନ ଶୁଣି ତୋହର ସୁନୃତ ଗିର

ମୋହ-ଭ୍ରାନ୍ତିନାଶୀ ମହାଗମ୍ଭୀର

‘‘ଅଲଙ୍ଘ୍ୟ ବିଧିର ବିଧି,

ସେ ମହାଶାସନ ବ୍ରହ୍ମାଣ୍ଡ-ବନ୍ଦିତ

ମୁଁ ତା’ର ଛାର ପ୍ରଣିଧି ।୭।

ମାରାତ୍ମକ ନୁହେ ମୃତ୍ୟୁବିଧାନ,

ମୃତ୍ୟୁ ଅମୃତର ଅଟେ ସୋପନ,

ଜୀବନମୃତ୍ୟୁର ଲୀଳା-ରହସ୍ୟ

ମୃତ୍ୟୁ-ମୃତ୍ତିକାରେ ଜୀବନଶସ୍ୟ

ବଢ଼ଇ ବିଚିତ୍ରଭାବେ

ଲୋକଲୋକାନ୍ତରେ କାଳକାଳାନ୍ତରେ

ଆବିର୍ଭାବେ ତିରୋଭାବ ।୮।

ଯଥାକାଳେ ପୁଣି ଯଥାବିଧାନେ

ବିଧିର ମଙ୍ଗଳ-ପୂତ ଆହ୍ୱାନେ

ଭବବାସୁଁ ଭଞ୍ଜଦେବ ଶ୍ରୀରାମ

ଯାଇଛନ୍ତି ଚାଲି ଅମରଧାମ ।’’

ଭାଷି ଏ ଅମୃତ ବାଣୀ

ଡାକ ଆସୁଅଛି କେନ୍ଦ୍ର-ନିକେତନୁ*

ପାରିଅଛି ଏବେ ଜାଣି ।୯।

ଯାଙ୍କ ଲାଗି ଶୋକ କରୁ ରେ ନର

ନୈରାଶ୍ୟ-ଗରଳେ ହୋଇ ଜର୍ଜର,

ଚିନ୍ତି ତାହାଙ୍କର ମେଲାଣି ବାଣୀ

ଗୂଢ଼ ଅର୍ଥ ତାର ଅନ୍ତରେ ଜାଣି,

ଗୁଣି ତାଙ୍କ ଗୁଣ-ରାଶି,

ଦେଖ ରେ ଅମୃତ- ଜୀବନେ ଜୀବିତ

ଶ୍ରୀରାମ ବୈକୁଣ୍ଠବାସୀ ।୧୦।

ଦେବଦେବ-ମହାଦେବ-ପ୍ରଣିଧି !

ମହାକାଳ ମହା-ରହସ୍ୟ-ନିଧି,

ସୁଧାମୟ ଦିବ୍ୟ ଉଦନ୍ତ ତବ

ନୁହଇ କଦାପି କୂଟ କୈତବ;

କଲ ଯେ ଅଭୟ ଦାନ,

ନୈରାଶ୍ୟ-ଜଡ଼ ଏ ମୋହାନ୍ଧ ପରାଣେ

ବିତରୁ ସେ ଦିବ୍ୟଜ୍ଞାନ ।୧୧।

ଦୀନ କବିଜନେ ହେ ଦେବଦୂତ !

ଦିଅ ଦିବ୍ୟଦୃଷ୍ଟି ବିଶ୍ୱାସପୂତ ।

ବାସନା-ବାଡ଼ବ-ଦଗ୍‍ଧ ସଂସାର

ପାରାବାରାପାରେ ପରା-ବିଦ୍ୟାର

ଜ୍ୟୋତିର୍ମୟ ନିକେତନେ,

ଘେନିଯାଅ ଆଜି ଦେଖାଅ ହେ ମୋତେ

ସେହି ପୁରୁଷରତନେ ।୧୨।

 

[* ମହାରାଜ ଶ୍ରୀରାମଚନ୍ଦ୍ର ମୃତ୍ୟୁର କିୟତ୍‌କ୍ଷଣ ପୂର୍ବେ ତାଙ୍କ ପତ୍ନୀଙ୍କୁ କହିଥିଲେ, “Central Telegraph Station ରୁ ମୋ ନିକଟରୁ ଡାକ ଆସୁଅଛି । ତୁମେ କଣ ଶୁଣିପାରୁନାହଁ ?’’]

Image

 

ଦ୍ୱିତୀୟ ଉଚ୍ଛ୍ୱାସ

 

ଜୈତ୍ରଯାତ୍ରା-ଅନ୍ତେ ବିଜୟୀ ଶୂର

ବାହୁଡ଼ନ୍ତି ଯଥା ହର୍ଷେ ସ୍ୱପୁର,

ଦେଖଇ ମୁଁ ଏବେ ତଥା ନୃମଣି !

ମର୍ତ୍ତ୍ୟକାର୍ଯ୍ୟ ସାରି ତେଜି ଧରଣୀ

କଲ ଯାତ୍ରା ସ୍ୱର୍ଗଧାମେ;

ବାହୁଡ଼ା-ବିଜୟ ଅଟେ ଏ ତୁମ୍ଭର

କୁହା ସିନା ମୃତ୍ୟୁ ନାମେ ।୧।

ଅମର-ସେବିତ ଅମରାବତୀ

ତବଯୋଗ୍ୟ ପୁର ଅମରବ୍ରତୀ,

ନନ୍ଦନନଗରଆନନ୍ଦମୟ,

ନାହିଁ ଯହିଁ ମୃତ୍ୟୁ-ସନ୍ତାପ ଭୟ,

ଶାନ୍ତି-ନିକେତନ ସେହି,

ଯା ଲାଗି ଜଗତେ ଅନ୍ତରେ ଅନ୍ତରେ

ପିପାସିତ ସଦା ଦେହୀ ।୨।

ସେ କେନ୍ଦ୍ର-ଆଳୟ-ଆହ୍ୱାନ ଶୁଣି

ପ୍ରବେଶନ୍ତେ ତଥି ହେ ଦିବ୍ୟ ଗୁଣୀ

ଦେଖିନାହିଁ ଯାହା ମର ନୟନ,

ଦେଖୁଛ ସେ ଜ୍ୟୋତିର୍ମୟ ଭୁବନ,

ଆଲୋକର ମନ୍ଦାକିନୀ,

ଜ୍ଞାନ-ପ୍ରେମ-ପୁଣ୍ୟ ତରଙ୍ଗେ ଯାହାର

ବାଜେ ବୀଣା ବାଗ୍‌ବାଦିନୀ ।୩।

ଦେଖୁଛ ଅଦୂରେ ସେ ନଦୀତଟେ

ନନ୍ଦନକାନନ-ଶୋଭା-ପ୍ରକଟେ,

କୋଟି କୋଟି ଜ୍ୟୋତିର୍ମୟ ସନ୍ତାନ

ପାରିଜାତରୂପେ ପ୍ରକାଶମାନ,

ଅନନ୍ତ ବସନ୍ତ-ରସେ

ଚିନ୍ମୟ ଅମୃତ ଜୀବନ-ଉତ୍ସବ

ଲୀଳାରେ ରତ ରଭସେ ।୪।

ହେ ରାଜର୍ଷି ! ତବ ଶୁଭାଗମନ

ମହୋତ୍ସବ ଆଜି ଦେବ-ଭବନେ;

ଆହା କି ଅମୃତ ବୀଣା-ଝଙ୍କାର,

ହରଇ ସକଳ ଦୁଃଖବିକାର;

କି ସଙ୍ଗୀତ ସୁଧା-ଧାରା,

ହେଉଛି ବର୍ଷିତ ବିମଳ ବୈକୁଣ୍ଠ-

ଅମର ଶ୍ରୀକଣ୍ଠଦ୍ୱାରା ।୫।

 

ଗାଉଛନ୍ତି ଦେବେ ସ୍ୱାଗତ-ଗିର,

‘‘ଆସ ଆସ ପୁଣ୍ୟ-ଶ୍ଳୋକ ସୁଧୀର !

ମାନବକୁଳରେ ମାଣିକ୍ୟ-ମଣି !

ଧନ୍ୟ ଆପଣାକୁ ମଣେ ଧରଣୀ

ତୁମ୍ଭଙ୍କୁ ଉତ୍ସଙ୍ଗେ ଧରି,

ଧନ୍ୟ ହୋଇଅଛି ଜୀବନ ତୁମ୍ଭର

ଶ୍ରେୟପଥ ଅନୁସରି ।୬।

ଶାନ୍ତଚିତ୍ତେ ଧ୍ୟାୟି ବିଶ୍ୱବିଧାନ

ଦେଖିଅଛ ମୂଳେ ନିତ୍ୟ କଲ୍ୟାଣ

ଅନାଦି ଆନନ୍ଦ-ପ୍ରେମ-ନିଧାନ

ଦେଖିଛ ଅନନ୍ତ ଶାଶ୍ୱତ ଜ୍ଞାନ;

ଦେଖିଅଛି ହେ ଆବର

ମାନବାତ୍ମା ଅଟେ ଅମୃତର ସୁତ,

ଅବତାର ଆନନଦର ।୭।

ସେହି ଧ୍ରୁବସତ୍ୟ ହୃଦୟେ ହେଜି,

ଅସାର ସଂସାର-ବିଳାସ ତେଜି,

ପରାତ୍ପରପଦେ ନିବେଶି ମନ,

ତାଙ୍କ ମହୀୟସୀ ଇଚ୍ଛା-ସାଧନ

କରିଅଛ ପ୍ରାଣପଣେ,

ଆସ ତେବେ ଭୁଞ୍ଜ ସୁକୃତର ଫଳ

ଅମୃତର ନିକେତନେ ।୮।

ଉର୍ଦ୍ଧ୍ୱେ ଉର୍ଦ୍ଧ୍ୱେ ଉର୍ଦ୍ଧ୍ୱେ ଉନ୍ନତତର

ହେଉ ଗତି ତବ ହେ ଦ୍ୱିଜବର !*

ପରାତ୍ପର ଦେବ-ଦେବାରାଧନା,

ଜ୍ଞାନ-ପ୍ରେମ କର୍ମ-ଯୋଗ-ସାଧନା,

ବିଧିଦ୍ୱୟ-ସମନ୍ୱୟେ

ଅଗ୍ରସର ହୁଅ ଲଭି ନିତି ନିତି

ବିଧାତାର ବରାଭୟେ ।୯।

ସ୍ୱର୍ଗର ଅସଂଖ୍ୟ ଦେବନଗରେ

ନିମ୍ନେ ଉର୍ଦ୍ଧ୍ୱେ ଦଶ-ଦିଗେ ଅମରେ

ତୁମ୍ଭ ଆଗମନେ ଆନନ୍ଦଭରେ

ସାଧୁ ସାଧୁ ବାଣୀ ଉଦାତ୍ତସ୍ୱରେ

କରୁଛନ୍ତି ଉଚ୍ଚାରଣ,

ବିଧାତାର ଆଶୀ- ର୍ବଚନ ସେ ବାଣୀ

କର କର ହେ ଗ୍ରହଣ ।୧୦।

ଦେଖ ଦେଖ ଦେଖ ଏ ଦେବଲୋକେ

ଦିବ୍ୟ ଚୈତନ୍ୟର ସ୍ୱଚ୍ଛ ଆଲୋକେ,

କୋଟି କୋଟି ନର-ନାରୀ ନିକର

ଦେବଦେବୀରୂପେ ଏବେ ଭାସ୍ୱର,

ୠଷି କବି ସାଧୁ ବୀର

ସତୀ ସାଧ୍ୱୀ ସର୍ବେ ଏକତାନେ ବ୍ରହ୍ମ-

ଶ୍ରୀପଦେ ପ୍ରଣତଶିର ।୧୧।

ଦିବ୍ୟ ବାଗୀଶ୍ୱରୀ-ନାଦବୃତ୍ତିରେ

ପ୍ରତିନିନାଦିତ ବିଶ୍ୱ-ମନ୍ଦିରେ,

ସ୍ୱର୍ଗର ମହିମ୍ନଃ ସ୍ତବ ଗମ୍ଭୀରେ

ଗାଉଛନ୍ତି ଦେବେ ଦିବ୍ୟ ବିଧିରେ

ଜୟ ଦେବ-ଦେବ-ଗାନ ।

‘‘ସେ ପରମ ବେଦ ଦେବ-ସୂକ୍ତ ଗାଇ

ଦେବଦଳେ ଲଭ ସ୍ଥାନ ।’’ ।୧୨।

 

[* ପାର୍ଥିବ ଜୀବନାନ୍ତେ ସ୍ୱର୍ଗୀୟ ଜୀବନରେ ନବଜାତ ଏହି ଅର୍ଥରେ ’ଦ୍ୱିଜ’ ଶବ୍ଦ ଏଠାରେ ପ୍ରଯୁକ୍ତ ହୋଇଅଛି ।]

 

ତୃତୀୟ ଉଚ୍ଛ୍ୱାସ

 

ସଂଶୟ-ନୈରାଶ୍ୟ-କଳୁଷହର

ଏହି ଦେବ-ଦୃଶ୍ୟ ଶାନ୍ତ ସୁନ୍ଦର

ବିଶ୍ୱାସ ନୟନେ କରି ଦର୍ଶନ

ଆଶ୍ୱାସ ଲଭିଲା ଏ ଦୀନଜନ,

ବିଳାପର ହାହାକାର

ପରିବରତିତ ଆନନ୍ଦ-ସଙ୍ଗୀତ

ଦିବ୍ୟାଲୋକେ ଅନ୍ଧକାର ।୧।

ପରଲୋକପ୍ରାପ୍ତ ନୃପତିମଶି !

ରାଜ୍ୟହିତ-ଅର୍ଥେ ଦିନ ରଜନୀ

ଭାଳି ଭାଳି ଯେଉଁ ମହତ ଳକ୍ଷ୍ୟେ

ପୋଷି ରଖିଥିଲେ ହୃଦୟକକ୍ଷେ,

କାଳାଭବେ ସୁଧାରିତ

ନୋହିଲେହେଁ ତାହା, ଗୌରବ ତାହାର

ରହିଥିବ ଅକଣ୍ଡିତ ।୨।

ମରଲୋକେ ସୁଦ୍ଧା ତୁମ୍ଭେ ଅମର,

କିଏ ନାଶିପାରେ କୀର୍ତ୍ତି ତୁମ୍ଭର ?

ଅନିର୍ବାଣ ତବ ହୃଦୟ-ଜ୍ୟୋତି,

ସାତ୍ତ୍ୱିକ ତାହାର ରଶ୍ମି-ସନ୍ତତି,

ଉଜଳିବ କେତେ ପ୍ରାଣ,

ଆଲୋକରୁ ସିନା ଆଲୋକ ସମ୍ଭବ ,

କଲ୍ୟାଣୁ ସିନା କଲ୍ୟାଣ ।୩।

ଦେବସ୍ପୃହଣୀୟ ବୈରାଗ୍ୟ ତବ

ଶମ-ଦମ-ଧୃତି-ଦୟା-ବିଭବ

ତବ ଜୀବନର ଦିବ୍ୟ ମାଧୁରୀ

ରହିବ ସଂକ୍ରମି ଏ ଧରାପୁରୀ;

ଯୁଗେ ଯୁଗେ ଥିବ ବଞ୍ଚି,

ଅମୃତ ସେ ନିଧି ଧରଣୀ ପୁରନ୍ଧ୍ରୀ

ଅଞ୍ଚଳେ ରଖିବ ସଞ୍ଚି ।୪।

ବ୍ରତନିଷ୍ଠ ତବ ଜୀବନ-ତତ୍ତ୍ୱ

ସଞ୍ଚାରିବ କେତେ ପ୍ରାଣେ ମହତ୍ତ୍ୱ ।

ତେଜିଣ ତାମସ ଗର୍ବ ବିଳାସ

ରାଜ୍ୟକୁ ମଣିବେ ପବିତ୍ର ନ୍ୟାସ,

କେତେ କେତେ କ୍ଷିତିପତି;

ବହ୍ନି-ସ୍ପର୍ଶଜାତ ବହ୍ନିଶିଖା ସମ

ଉର୍ଦ୍ଧ୍ୱକୁ କରିବେ ଗତି ।୫।

 

ସ୍ୱର୍ଗେ ଥାଇ ଦେବ ! ସ୍ୱର୍ଗର ଧର୍ମ,

ମହେଶଙ୍କ ବିଶ୍ୱ-ମାଙ୍ଗଲ୍ୟ କର୍ମ

ସାଧୁଥାଅ ଜ୍ଞାନେ ପ୍ରେମେ ଆନନ୍ଦେ

ବନ୍ଦୁଥାଅ ପୁଣ୍ୟ ଭକ୍ତିର ଛନ୍ଦେ

ପରମ ବରେଣ୍ୟ ପଦ,

ସେହି ମହାଦୃଶ୍ୟ ନିରେଖି ଉତ୍କଳ

ଲୋଡ଼ୁ ସ୍ୱର୍ଗଶ୍ରୀ-ସଂପଦ ।୬।

ଯେ ରାଜ୍ୟ ପାଳିଲ ଏତେ ଯତନେ,

ନ୍ୟାୟ-ମଙ୍ଗଳର ପୁଣ୍ୟ ଶାସନେ,

ତଥିପରେ ବିଶ୍ୱ-ବ୍ରହ୍ମାଣ୍ଡ-ଈଶ

ବରଷନ୍ତୁ ସଦା ଶୁଭ ଆଶିଷ ।

ସୁବିନୀତ ସୂନୁ ତବ,

ତୁମ୍ଭପରି ଶ୍ରେୟ ପଥ ଅନୁସରି

ଲଭନ୍ତୁ ବର-ଗୌରବ ।୭।

ଘେନ ଏବେ ଦେବ ! ଅଭିନନ୍ଦନ,

ଏ ଭବଧାମର ଶ୍ରଦ୍ଧାବନ୍ଦନ ।

ଜ୍ଞାନପ୍ରେମୋଲ୍ଲାସେ ପୁଣ୍ୟ ସନ୍ତୋଷେ

ଶୁଭ୍ର ହିରଣ୍ମୟ ଚିନ୍ମୟ କୋଷେ ।

ନିରେଖିଣ ନିରଞ୍ଜନେ

ଦିବ୍ୟ ଶାନ୍ତିମୟ ଶାଶ୍ୱତୀ ପ୍ରତିଷ୍ଠା

ଲଭ ଅଭୟ ଚରଣେ ।୮।

Image